କରୋନାଭାଇରସ୍ ମହାମାରୀ ଦୁନିଆ ସାରା ଚାଲିଛି । ବହୁତ କମ୍ପାନୀ ବନ୍ଦ, ଅନେକ ଲୋକ ଚାକିରି ହରେଇଛନ୍ତି । ଷ୍ଟକ ମାର୍କେଟ ରେ କୋଟି କୋଟି ନିବେଶକଙ୍କ ସମ୍ପତ୍ତି ପୋଛିହେଇଯାଇଛି । କହିବା ବାହୁଲ୍ୟ, COVID-19 ମହାମାରୀ ଯୋଗୁଁ ସମସ୍ତଙ୍କର ଆର୍ଥିକ ଚିନ୍ତା। ଚତୁର୍ଦ୍ଦିଗରେ ଏତେ ଅନିଶ୍ଚିତତା ଥିଲା ବେଳେ ବର୍ତ୍ତମାନ ସଞ୍ଚୟ ଏବଂ ଖର୍ଚ୍ଚ କମେଇବା ଉପରେ ଧ୍ୟାନ ଦେବା ସବୁଠୁ ବେଶୀ ଗୁରୁତ୍ୱପୂର୍ଣ୍ଣ । ଏଇ ଅସୁବିଧା ସମୟରେ ଆପଣଙ୍କ ସ୍ୱାସ୍ଥ୍ୟ ଓ ଆର୍ଥିକ ସ୍ଥିତି ସୁରକ୍ଷିତ ରଖିବାକୁ କିଛି ଉପାୟ:
- ଜରୁରୀକାଳୀନ ପାଣ୍ଠି ନିଜ ପାଖରେ ରଖନ୍ତୁ : କେତେବେକେ କଣ ଜରୁରୀକାଳୀନ ସ୍ଥିତି ଆସିବ କହିବା କଷ୍ଟ । ତେଣୁ ଯଥାସମ୍ଭବ ସଞ୍ଚୟ କରନ୍ତୁ । ଯଦି ଆଗରୁ କରିନାହାନ୍ତି ତେବେ ଆଜି ହିଁ ଆରମ୍ଭ କରନ୍ତୁ । ଯୋଉ ଖର୍ଚ୍ଚ ନ କଲେ ଚଳିବ ସେମିତି ଖର୍ଚ୍ଚରୁ ଦୂରେଇ ରୁହନ୍ତୁ ।
- ସ୍ୱାସ୍ଥ୍ୟ ଓ ଜୀବନ ବୀମା ସୁରକ୍ଷା : ପରିସ୍ଥିତି ବହୁତ ବିପଦପୂର୍ଣ୍ଣ । ଆପଣଙ୍କ ଉପଯୁକ୍ତ ସ୍ୱାସ୍ଥ୍ୟ ଏବଂ ଟର୍ମ ବୀମା କଭର ଅଛି କି ନାହିଁ ଦେଖି ନିଅନ୍ତୁ । ଆପଣଙ୍କର ସ୍ୱାସ୍ଥ୍ୟ କଭରେଜ୍ ସୁବିଧା ଯାଞ୍ଚ କରନ୍ତୁ ଏବଂ ଦେଖି ନିଅନ୍ତୁ ଗୁରୁତର ରୋଗ ସମୟରେ ଆପଣଙ୍କୁ କେତେ ଖର୍ଚ୍ଚ କରିବାକୁ ମିଳିପାରିବ । ଯଦି ପଇସା ଅଛି, ଅଧିକ କଭରେଜ୍ ପାଇଁ ପ୍ରିମିୟମ୍ ପରିମାଣ ବଢ଼େଇ ଦିଅନ୍ତୁ । ବିପଦ ସମୟରେ ଏହା ଆପଣଙ୍କୁ ବହୁତ ସାହାଯ୍ୟ କରିବ । ଆପଣଙ୍କ ପରିବାର ପାଇଁ ଉପଯୁକ୍ତ ସ୍ୱାସ୍ଥ୍ୟ କଭରେଜ୍ ନିଅନ୍ତୁ ।
- SIP ଜାରି ରଖନ୍ତୁ: ଯଦି SIP (ନିୟମିତ ଅଳ୍ପ ଅଳ୍ପ ଟଙ୍କା ନିବେଶ) କରୁଥିଲେ, ତାକୁ ଜାରି ରଖନ୍ତୁ । SIP ଗୋଟେ ଦୀର୍ଘକାଳୀନ ବିନିଯୋଗ । ବଜାର ଅସ୍ଥିର ଆଉ ଟଙ୍କା ବୁଡିଯିବା ଭୟରେ ଟଙ୍କା ପୁରାପୁରି ବାହାର କରି ନିଅନ୍ତୁ ନାହିଁ । ବଜାର ପୁଣି ଭଲ ଅବସ୍ଥା କୁ ଫେରିବ, ଆଉ ଏବେ ଲଗେଇଥିବା ପଇସା ବହୁ ଗୁଣରେ ବଢିବାର ସୁଯୋଗ ହାତଛଡା କରନ୍ତୁ ନାହିଁ । ହେଲେ ସବୁ ପଇସା ଗୋଟେ ଜାଗାରେ ନ ଲଗେଇ ଅଲଗା ଅଲଗା ଜାଗାରେ ଲଗାନ୍ତୁ, ଯେମିତିକି ବୀମା , ଷ୍ଟକ ମାର୍କେଟ , ସୁନା ରୁପା ଇତ୍ୟାଦି ।
- ଆପଣଙ୍କର EMI / କିସ୍ତିଗୁଡିକ ଯାଞ୍ଚ କରନ୍ତୁ: ଯଦି ଆପଣ EMI ସମୟ ରିହାତି ମାଗି ନାହାନ୍ତି , ତେବେ ଆପଣଙ୍କର EMI କିସ୍ତି ଦେଇ ଦିଅନ୍ତୁ, ନହେଲେ ଆପଣଙ୍କର କ୍ରେଡିଟ୍ ସ୍କୋର ପ୍ରଭାବିତ ହେଇପାରେ । ଭଲ କ୍ରେଡିଟ୍ ସ୍କୋର ଆପଣଙ୍କୁ ଭବିଷ୍ୟତରେ ଲୋନ ନେବାରେ ସାହାଯ୍ୟ କରିବ । ଆପଣଙ୍କର CIBIL ସ୍କୋରକୁ ଅଣଦେଖା କରନ୍ତୁ ନାହିଁ ।
- ଷ୍ଟକ ମାର୍କେଟ ବିନିଯୋଗ : ଆପଣଙ୍କ ଷ୍ଟକ ଗୁଡିକୁ ଯାଞ୍ଚ କରି ନିଅନ୍ତୁ ଆଉ ସେଇ ସବୁ ଷ୍ଟକ ବିକି ଦିଅନ୍ତୁ ଯାହା ଦୀର୍ଘ ସମୟ ପରେ ଲାଭ ଦେଉନାହିଁ । ବଡ ଭଲ ଜଣାଶୁଣା କମ୍ପାନୀ ର ଷ୍ଟକ କିଣନ୍ତୁ ଏବଂ ଦୀର୍ଘ ସମୟ ପାଇଁ ବିନିଯୋଗ କରନ୍ତୁ ।
- ଡିଜିଟାଲ୍ ଆପଣାନ୍ତୁ : କୋଭିଡ-19 (COVID-19) କୁ ଏଡାଇବା ପାଇଁ ଆମକୁ ସାମାଜିକ ଦୂରତା ରଖିବାକୁ ପଡିବ । ତେଣୁ, ଆପଣ ଯେତେ ସମ୍ଭବ ଡିଜିଟାଲ୍ ୱାଲେଟ୍ ଓ ଟଙ୍କା ଦିଆନିଆ ବ୍ୟବହାର କରିବା ଭଲ । ବ୍ୟାଙ୍କ କିମ୍ବା ଏଟିଏମକୁ ଯିବା ସମ୍ପୂର୍ଣ୍ଣରୂପେ ଏଡାନ୍ତୁ । ଦେୟ, ପଇସା ଟ୍ରାନ୍ସଫର ଓ ନିବେଶ ପାଇଁ ଅନଲାଇନ୍ ବ୍ୟାଙ୍କିଙ୍ଗ୍, କାର୍ଡ, ୟୁ ପି ଆଇ କିମ୍ବା ୱାଲେଟ୍ ବ୍ୟବହାର କରନ୍ତୁ । ଏ ବିଷୟରେ ସମ୍ପୂର୍ଣ ତଥ୍ୟ ଏଇ ୱେବସାଇଟ ରେ ହିଁ ମିଳିବ । ନଗଦ ବ୍ୟବହାରରୁ ଦୂରେଇ ରୁହନ୍ତୁ ।
- ଛାନିଆ କିଣାକିଣି ରୁ ଦୂରେଇ ରୁହନ୍ତୁ: ଲକଡାଉନ ଭୟ ରେ ଅତ୍ୟଧିକ ଖାଦ୍ୟ ସାମଗ୍ରୀ, ବା ଔଷଧ କିଣିବାରେ ଟଙ୍କା ଖର୍ଚ୍ଚ କରନ୍ତୁ ନାହିଁ। ଜରୁରୀ ଜିନିଷ ଯୋଗାଣ ଜାରି ରହିବ । କେବଳ ସେହି ଜିନିଷଗୁଡିକ କିଣନ୍ତୁ ଯାହା ଆସନ୍ତା କିଛି ଦିନ ବ୍ୟବହାର କରିବାକୁ ଦରକାର । ଆତଙ୍କିତ କ୍ରୟ ଆପଣଙ୍କ ଆର୍ଥିକ ଅବସ୍ଥା ଉପରେ ଚାପ ପକାଇବ ।
ଶେଷରେ, ଏକଥା ଆମେ ସମସ୍ତେ ଜାଣିଛେ ଯେ ଆମ ଚିହ୍ନ ଜଣା ଲୋକ ବି ଅସୁବିଧାରେ ଅଛନ୍ତି । ଦରକାର ପଡିଲେ ଅନ୍ୟ କୁ ଛୋଟ ମୋଟ ଆର୍ଥିକ ସହାୟତା କରନ୍ତୁ । ମିଳିମିଶି ଆମେ ଏ ବିପଦ ପାରିହେବା ।